ଇତିହାସ

କଟକ ଜିଲ୍ଲାର ଇତିହାସ

“କଟକ” ଶବ୍ଦର ସୃଷ୍ଟି ସଂପର୍କରେ ବୁଝାଯାଏ ଯେ ଏହା ଏକ ସେନା ଛାଉଣୀ ତଥା ସହରର ରାଜଧାନୀ ଥିଲା । କଟକ ଜିଲ୍ଲାର ନାମ ଏହି “କଟକ” ନାମରୁ ସୃଷ୍ଟି ହେବାର ଯଥାର୍ଥତା ପ୍ରତିପାଦନ କରିଛି । କଟକ ସହର ସେନା ଛାଉଣୀରୁ ଆରମ୍ଭ ହୋଇ ଏହାର ଅବସ୍ଥିତି ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ରାଜ୍ୟର ରାଜଧାନୀ ହୋଇପାରିଥିଲା । ଅନଙ୍ଗ ଭୀମଦେବ-୩ୟଙ୍କ ସମୟର ଲିପିକୁ ଅନୁକରଣ କଲେ ଜଣାଯାଏ ଯେ ଏହି ସହରର ମୂଳ ନାମ ଅଭିନବ-ବାରାଣାସୀ-କଟକ ନାମେ ଅଭିହିତ ଥିଲା । ଦେଶର ବାରାଣାସୀ ସହର ଯାହାକି ବାରୁଣା ଏବଂ ଅସି ମଧ୍ୟରେ ଅବସ୍ଥିତ ହେବା ପରି , କଟକ ସହର ମହାନଦୀ ଓ କାଠଯୋଡି ନଦୀ ମଧ୍ୟରେ ଅବସ୍ଥିତ (ଏହା ନୂତନ ଧରଣର ବାରାଣାସୀ ନାମରେ ଅଭିହିତ )।

କଟକ ସହର ପ୍ରଥମେ ଥିବା ମୂଳ ୫ ଟି ଗ୍ରାମ ଯଥା ଚୌଦ୍ଵାର-କଟକ, ବାରାନାସୀ-କଟକ, ସାରଙ୍ଗଗଡ଼-କଟକ, ବିରାଜ-କଟକ ଏବଂ ଅମରାବତୀ-କଟକରୁ ସୃଷ୍ଟି ହୋଇଛି । କଟକ ଉଭୟ ସ୍ଥଳ ପଥ ଏବଂ ଜଳ ପଥରେ ସଂଯୋଗୀକୃତ । ପ୍ରାଚୀନ ଯୁଗରୁ ମଧ୍ୟଯୁଗୀୟ ପ୍ରସିଦ୍ଧ ବନ୍ଦର ଚେଳିତୋଳ,ପାଲୁର ଏବଂ ତାମ୍ରଲିପ୍ତି କଟକ ସହର ସହିତ ସଂଯୋଗୀକୃତ ଥିଲା ।

ଅଷ୍ଟାଦଶ ଶତାଦ୍ଦୀର ପୂର୍ବରୁ ଯଦିଓ କଟକ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ନଥିଲା, କିନ୍ତୁ ପ୍ରାଚ୍ୟ ବାଣିଜ୍ୟିକ ପରମ୍ପରା ଏଠାରେ ସମୃଦ୍ଧି ଲାଭ କରିଥିଲା । ତେବେ କଟକ, ଦଶମ ଶତାଦ୍ଦୀର ଶେଷ ଭାଗ ସୋମ ବଂଶୀୟ ରାଜାଙ୍କ ସମୟରୁ ଓଡ଼ିଶାର ରାଜଧାନୀ ଭାବେ ପରିପ୍ରକାଶ କରିଥିଲା । ଦ୍ଵାଦଶ ଶତାଦ୍ଦୀରେ ଚୋଡ଼ଗଙ୍ଗ ଦେବଙ୍କ ଶାସନ ସମୟରୁ କଟକର ଗୁରୁତ୍ଵ ଅଧିକ ବୃଦ୍ଧି ପାଇଲା । ଚୋଡ଼ଗଙ୍ଗ ଦେବ ତାଙ୍କର ରାଜଧାନୀ କଳିଙ୍ଗନଗରରୁ କଟକକୁ ସ୍ଥାନାନ୍ତରଣ କରିଥିଲେ, ଯାହାକି ତାଙ୍କ ଶାସନର କେନ୍ଦ୍ରସ୍ଥଳରେ ଅବସ୍ଥିତ ଥିଲା । ଗଙ୍ଗ ବଂଶୀୟ ରାଜା ଅନଙ୍ଗ ଭୀମ ଦେବ ୩ୟଙ୍କ ସମୟରେ ୧୨୨୯ ଖ୍ରୀଷ୍ଟାଦ୍ଦରେ ପ୍ରସିଦ୍ଧ ବାରବାଟୀ ଦୁର୍ଗ ନିର୍ମିତ ହୋଇଥିଲା । ଗଙ୍ଗ ବଂଶୀୟ ରାଜାଙ୍କ ପରେ ଓଡିଶା ଗଜପତିଙ୍କ ଶାସନାଧିନ ହେଲା ଯାହାଙ୍କ ଅଧିନରେ ମଧ୍ୟ କଟକ ରାଜଧାନୀ ଭାବେ ରହିଆସିଥିଲା । ଆଇନ-ଇ-ଆକବରୀରେ ସ୍ପଷ୍ଟ ଭାବରେ ଉଲ୍ଲିଖିତ ଅଛି ଯେ, ମୁକୁନ୍ଦ ଦେବଙ୍କ ସମୟରେ କଟକ ରାଜ୍ୟର ସମୃଦ୍ଧ ରାଜଧାନୀ ଥିଲା । ଆଫଗାନମାନଙ୍କ ଆକ୍ରମଣ ପରିପ୍ରେକ୍ଷୀରେ ମୁକୁନ୍ଦ ଦେବଙ୍କ ସମୟରେ କଟକ ଦୁର୍ଗ ଦ୍ଵାରା ସୁରକ୍ଷିତ ରାଜଧାନୀ ରହିଥିଲା । ଆଫଗାନଙ୍କ ପରେ ମୋଗଲ ଶାସକମାନେ କଟକକୁ ସେମାନଙ୍କର ରାଜଧାନୀ କରିଥିଲେ ଏବଂ ଆବୁଲ ଫାଜଲ ସ୍ପଷ୍ଟ ଭାବରେ ଉଲ୍ଲିଖିତ କରିଛନ୍ତି ଯେ , ମୋଗଲ ରାଜ୍ୟପାଳମାନେ ଏହି ସହରରେ ରହୁଥିଲେ ।

ମରହଟ୍ଟାମାନଙ୍କ ଶାସନ ସମୟରେ କଟକ ସହର ବାଣିଜ୍ୟ ଓ ବ୍ୟବସାୟରେ ସମୃଦ୍ଧି ଘଟିଥିଲା ଏବଂ ନାଗପୁରର ମରହଟ୍ଟା, ବଙ୍ଗଳା ଏବଂ ଉତ୍ତର ସୀମାରେ ଥିବା ଇଂରେଜ ବଣିକ ମଧ୍ୟରେ ବାଣିଜ୍ୟିକ ବିନିମୟ ହୋଇପାରୁଥିଲା । ଦେଓଗାଁ ଚୁକ୍ତି ଅନୁସାରେ କଟକ ୧୮୦୩ ଖ୍ରୀଷ୍ଟାଦ୍ଦରେ ବ୍ରିଟିଶ ଶାସନାଧୀନକୁ ଆସିଲା ଏବଂ ଇଂରେଜମାନେ କଟକର ଚକବନ୍ଦୀ ବ୍ୟବସ୍ଥା, ଭୂ-ରାଜସ୍ଵ ଏବଂ ପ୍ରଶାସନିକ ଦାୟିତ୍ଵରେ ରହିଲେ । ୧୮୬୬ ମସିହାରେ ଓଡିଶାରେ ଭୟାଭୟ ଦୁର୍ଭିକ୍ଷ ଦେଖାଦେବା ପରେ ନଦୀ ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ଭାବେ ରହୁଥିବା କଟକ ସହରକୁ ଆଉ ଅଲଗା ନରଖିବା ଏବଂ ଭବିଷ୍ୟତରେ ଆଉ ଯେପରି ଦୁର୍ଭିକ୍ଷ ନ ହୁଏ ସେଥିପ୍ରତି ଗମ୍ଭୀରତାର ସହ ବିଚାରକୁ ନେଲେ । ଜନ ପଥରେ ବିଭିନ୍ନ ଆଡୁ ଯୋଗାଯୋଗ ରହିଥିଲେ ମଧ୍ୟ ଉନବିଂଶ ଶତାଦ୍ଦୀର ଶେଷଭାଗ ବେଳକୁ ଆନ୍ତଃ ଯୋଗାଯୋଗ ସଡ଼କ ପଥ ଖୋଲିଲା ।

ଉନବିଂଶ ଶତାଦ୍ଦୀର ଶେଷ ଦଶନ୍ଧୀ ବେଳକୁ ବେଙ୍ଗଲ-ନାଗପୁର ରେଲପଥ(ବିଏନଆର) ସିଧାସଳଖ କଟକ, ମାନ୍ଦ୍ରାଜ ଓ କଲିକତା ସହ ସଂଯୋଗ କରୁଥିଲା । ଇଂରେଜମାନଙ୍କ ଦ୍ଵାରା ୧୮୪୧ ମସିହାରେ ପ୍ରଥମ ସରକାରୀ ଇଂରେଜ ସ୍କୁଲ ସ୍ଥାପନ ହେବା ଫଳରେ କଟକରେ ଶିକ୍ଷା କ୍ଷେତରେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଲା । ୧୮୬୬ ମସିହା ଦୁର୍ଭିକ୍ଷ ଦେଖା ଦେବା ପର୍ଯନ୍ତ ଚାଲୁ ରହିଥିଲା ଓ ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟ ୧୮୬୮ ମସିହାରେ ରେଭେନ୍ସା କଲେଜରେ ପରିଣତ ହେଲା । ରେଭେନ୍ସା ମହାବିଦ୍ୟାଳୟ ୨୦୦୬ ମସିହା ନଭେମ୍ବର ୧୫ ତାରଖରେ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ପରିଣତ ହୋଇଥିଲା । ୧୮୭୪ ମସିହାରେ କଟକ ଜେନେରାଲ ହସ୍ପିଟାଲ ସ୍ଥାପିତ ହୋଇଥିଲା, ଯାହାକି ୧୮୭୫ ମସିହାରେ ଓଡିଶା ମେଡିକାଲକୁ ପରିବର୍ତ୍ତିତ ହୋଇଥିଲା । ଓଡିଶାର ପ୍ରଥମ ଖବରକାଗଜ “ଉତ୍କଳ ଦୀପିକା” କର୍ମବୀର ଗୌରୀ ଶଙ୍କର ରାୟଙ୍କ ଦ୍ୱାରା ୧୮୬୬ ମସିହାରେ ପ୍ରଥମେ କଟକ  ପ୍ରିଣ୍ଟିଂ କମ୍ପାନୀ ଦ୍ୱାରା ପ୍ରକାଶିତ ହୋଇଥିଲା । ୧୮୭୬ ମସିହାରେ କଟକ ମ୍ୟୁନିସିପାଲିଟି ଗଠିତ ହୋଇଥିଲା । ୧୯୨୩ ମସିହାରେ ଦୁଇଟି ଶିକ୍ଷାନୁଷ୍ଠାନ ଆତ୍ମ ପ୍ରକାଶ କଲା। ଗୋଟିଏ ହେଉଛି କଟକ ଟ୍ରେନିଂ କଲେଜ ଓ ଅନ୍ୟଟି ହେଉଛି ଓଡିଶା ଇଂଜିନିୟରିଂ ସ୍କୁଲ ଯାହାକି ୧୯୧୫ ମସିହାରେ ପୂର୍ବରୁ ରେଭେନ୍ସା କଲେଜରେ ଥିବା ପୁରାତନ ସର୍ଭେ ସ୍କୁଲରୁ ଅଲଗା ହୋଇ ଏବଂ ଯୋବ୍ରାଠାରେ ଥିବା ସରକାରୀ କର୍ମ ଶିବିର (ୱାର୍କ ସପ)କୁ ସ୍ଵତନ୍ତ୍ର ଏବଂ ଉନ୍ନତିକରଣ କରାଯାଇ ଗଠିତ ହୋଇଥିଲା ।

ସ୍ଵାଧୀନତା ସଂଗ୍ରାମ ସମୟରେ, ସାହାବଜାଦା ବଜାରଠାରେ ଥିବା ସ୍ଵରାଜ ଆଶ୍ରମ ସମସ୍ତ ପ୍ରକାର ଜାତୀୟତାବାଦୀ କାର୍ଯ୍ୟ କଳାପର କେନ୍ଦ୍ରସ୍ଥଳ ଥିଲା । ମହାତ୍ମାଗାନ୍ଧି ଓଡିଶାର ଯୁବ ସମାଜକୁ ସତ୍ୟ ଓ ଅହିଂସାର ମନ୍ତ୍ରରେ ଅନୁପ୍ରାଣୀତ କରିଥିଲେ । ଏହି ପରିପ୍ରେକ୍ଷୀରେ କଟକରେ ଥିବା ସ୍ଵରାଜ ଆଶ୍ରମ ଗାନ୍ଧୀବାଦୀମାନଙ୍କ ପାଇଁ ତୀର୍ଥସ୍ଥଳ ସ୍ୱରୂପ ଥିଲା । ଓଡିଶାର ପ୍ରଶାସନିକ ଏବଂ ବାଣିଜ୍ୟିକ ପ୍ରାଣକେନ୍ଦ୍ର ଭାବେରେ କଟକରେ ସମସ୍ତ ପ୍ରକାର ସୁବିଧା ରହିଥିଲା । ୧୯୩୬ ମସିହା ପର୍ଯ୍ୟନ୍ତ ଏହା ଓଡିଶା ରାଜସ୍ୱ ଡିଭିଜନ ସ୍ଥଳ ଥିଲା । ଯେତେବେଳେ ଓଡିଶା ସ୍ଵତନ୍ତ୍ର ପ୍ରଗଣା ରୂପେ ଗଠିତ ହେଲା, ସେହି ସମୟରୁ ଏହା ତାହାର ମୁଖ୍ୟ ସଦର ମହକୁମା ଭାବରେ କାର୍ଯ୍ୟ କରୁଥିଲା । ଐତିହାସିକ ଲାଲବାଗ ଅଞ୍ଚଳ ଯାହାକି କମିଶନରଙ୍କ ଅଧିକାରରେ ଥିଲା, ତାହା ରାଜଭବନ ହୋଇଥିଲା । ବର୍ତ୍ତମାନ ଏହା ଶିଶୁ ଚିକିତ୍ସାଳୟ ବା “ଶିଶୁ ଭବନ”ରେ ପରିଣତ ହୋଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଓ ଗବେଷଣା ପ୍ରତିଷ୍ଠାନ ନାମରେ ନାମିତ ହୋଇଛି । ବାରବାଟୀ ଷ୍ଟାଡିୟମ ନାମରେ ଏକ ଖେଳ ପଡିଆ ବାରବାଟୀ ଦୁର୍ଗ ନିକଟରେ ଥିବା ପ୍ରସିଦ୍ଧ କିଲ୍ଲା ପଡିଆ ଉପରେ ନିର୍ମିତ ହୋଇଛି ।

ଓଡିଶା ଉଚ୍ଚ ନ୍ୟାୟାଳୟ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା । ଇଣ୍ଡୋ-ଇଉରୋପୀୟ ଶୈଳୀରେ ନିର୍ମିତ ହୋଇଥିବା ଏହି ଉଚ୍ଚ ନ୍ୟାୟାଳୟର କୋଠା ସମସ୍ତଙ୍କ ମନରେ ସ୍ଵତନ୍ତ୍ର ପ୍ରଭାବ ପକାଇଥାଏ । ୧୯୪୮ମସିହାରେ କଟକର ପୁରାତନ ମଧୁପୁର କୋଠାରେ ଆକାଶବାଣୀ (ଅଲ ଇଣ୍ଡିଆ ରେଡିଓ) ପ୍ରଥମେ ସ୍ଥାପିତ ହୋଇଥିଲା ।

କଟକ ସହର ଏହାର ପ୍ରସିଦ୍ଧ ରୂପା ତାରକସି କାମ, ଆକର୍ଷଣୀୟ ଶିଙ୍ଗ କାମ ସୂକ୍ଷ୍ମ କାରୁକାର୍ଯ୍ୟ ବିଶିଷ୍ଟ ବିଭିନ୍ନ ରଙ୍ଗ ବେରଙ୍ଗର ବସ୍ତ୍ର ପ୍ରସ୍ତୁତି ପାଇଁ ଦେଶରେ ପ୍ରସିଦ୍ଧି ଲାଭ କରିଛି । ବୃହତ କଟକର ପରିକଳ୍ପନା କରାଯାଇ ରାଜ୍ୟ ସରକାର ଶେଷରେ କଟକ ସହରଠାରୁ ୧୮ ମାଇଲ ଦୂରରେ ଥିବା ଭୁବନେଶ୍ଵର ସହରକୁ ଏହାର ନୂତନ ରାଜଧାନୀ କରିଛନ୍ତି । ଯଦିଓ ଭୁବନେଶ୍ଵର ରାଜ୍ୟର ନୂତନ ରାଜଧାନୀ ହୋଇଛି, ତଥାପି ଏହା ରାଜ୍ୟର ଐତିହ୍ୟ ଓ ପରମ୍ପରାର ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ସଂଯୋଗ କରୁଥିବା ସେତୁ ସଦୃଶ କାର୍ଯ୍ୟ କରୁଛି । ଏହା ଭାରତର ପୁରାତନ ସହରମାନଙ୍କ ମଧ୍ୟରେ ଅନ୍ୟତମ ଭାବରେ ବିବେଚିତ ହୋଇଛି । ଏହାର ସଭ୍ୟତା ହଜାର ବର୍ଷରୁ ଉର୍ଦ୍ଧ୍ଵ ହୋଇଥିବାରୁ ଏହା ସହସ୍ରାଦ୍ଧର ସହର ବା ମିଲେନିୟମ ସିଟି ଭାବରେ ପ୍ରସିଦ୍ଧି ଲାଭ କରିଛି ।