ହସ୍ତଶିଳ୍ପ

ଚିତ୍ର କଳା ,ପିତଳ ଓ କଂସା ଧାତବ ଶିଳ୍ପ,ରୂପା ତରକସୀ କାରୁକାର୍ଯ୍ୟ ଶିଳ୍ପ,ଓଡିଶା ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ୍ର ଶିଳ୍ପ ,କଟକ ଦ୍ଵାରା ଅନୁମୋଦିତ । ଚିତ୍ରକଳାଗୁଡିକ ଅତ୍ୟନ୍ତ ସୁସ୍ପଷ୍ଟ ଓ ଅସାଧାରଣ ଶୈଳୀ ଲକ୍ଷଣଯୁକ୍ତ, ସୁନ୍ଦର ରଙ୍ଗମିଶ୍ରିତ,ତନ୍ତୁ ବିନ୍ୟାସ ଥାଇ ଶୋଭା ବର୍ଦ୍ଧକ ଏବଂ ଏଗୁଡିକ ନିଜସ୍ୱ ସ୍ଵତନ୍ତ୍ରତା ବହନ କରେ । କଟକର ବୁଣାକାରମାନେ ହସ୍ତତନ୍ତ ବ୍ୟବହାର କରି ଶାଢୀ ଏବଂ ଅନ୍ୟ ବୁଣାଲୁଗାରେ ସୁନ୍ଦର ସୁନ୍ଦର ରୂପାଙ୍କନ କରିଥାନ୍ତି । ଓଡିଶାର ବୟନ ଶିଳ୍ପର ବିଶେଷତ୍ଵ ହେଉଛି ଯେ ଏସବୁ ‘ଇକତ’ ଡିଜାଇନ ବିଶିଷ୍ଟ । ଦକ୍ଷିଣ-ପୂର୍ବ ଏସିଆ ସହିତ ପ୍ରାଚୀନ ନୌବାଣିଜ୍ୟ କାର୍ଯ୍ୟକଳାପକୁ ସଂଯୋଗୀକୃତ କରି ଜଟିଳ ଆକର୍ଷଣୀୟ ରଙ୍ଗ ଓ ବାନ୍ଧ କଳା ପଦ୍ଧତିକୁ ନେଇ ବସ୍ତ୍ର ପ୍ରସ୍ତୁତିର ପରିକଳ୍ପନାର ସ୍ଵତନ୍ତ୍ରତା ରହିଛି ।

କଂସା ଧାତବ ପ୍ରସ୍ତୁତ ଉତ୍ପାଦ ଓଡିଶା ଇତିହାସରେ ପ୍ରମୁଖ ସ୍ଥାନ ଅଧିକାର କରିଛି । କଂସା ଓ ପିତଳ ବାସନ କାରିଗରୀମାନଙ୍କୁ ପାରମ୍ପରିକ ଭାଷାରେ କଂସାରୀ କୁହାଯାଏ । ସେମାନେ ପ୍ରାଚୀନ ଓ ଆଧୁନିକ ପଦ୍ଧତିରେ ଆକର୍ଷଣୀୟ ବାସନକୁସନ ପ୍ରସ୍ତୁତିର ପ୍ରଚାର ପ୍ରସାର କରିଥାନ୍ତି,ଯାହାକି ଦେଖିବାକୁ ପାରମ୍ପରିକ ଆକୃତିର । ଏହି କଂସା ବାସନ ଉତ୍ପାଦଗୁଡିକ ମନ୍ଦିର ଓ ଘରେ ଧାର୍ମିକ ଓ ଅନ୍ୟ ଉଦେଶ୍ୟରେ ବ୍ୟବହୃତ ହୁଏ । ପ୍ରତ୍ୟେକ କଂସା ଓ ପିତଳ ବାସନ କୁସନ ଏହାର ଆକାର ଓ ଧାତବ ମିଶ୍ରଣ ଦୃଷ୍ଟିରୁ ସ୍ଵତନ୍ତ୍ରତା ରହିଥିବା ସହିତ ଏଥିରେ ରନ୍ଧନ, ଔଷଧୀୟ ଗୁଣ ବହନ କରେ ବୋଲି ଜଣାଯାଏ ।

ଏତଦ ବ୍ୟତୀତ ଜିଲ୍ଲାରେ କାରୀଗରମାନଙ୍କ ଦ୍ଵାରା ପ୍ରାଣୀମାନଙ୍କର ଶିଙ୍ଗରୁ ପ୍ରଚଳିତ ନିର୍ଦ୍ଧିଷ୍ଟ ଆକୃତିର ଏବଂ ଲୋକପ୍ରିୟ ଢାଂଚାରେ ଉଚ୍ଚକୋଟୀର ସୂକ୍ଷ୍ହ କାରୁକାର୍ଯ୍ୟ ସମ୍ପନ୍ନ ହସ୍ତଶିଳ୍ପ ଉତ୍ପାଦ ପ୍ରସ୍ତତି ମଧ୍ୟ ଅତ୍ୟନ୍ତ ରହସ୍ୟଜନକ ଓ ପ୍ରେରଣାଦାୟକ ହୋଇଛି । ମୁଖ୍ୟତଃ ମଇଁଷି ଏବଂ ଗାଈର ଶିଙ୍ଗରୁ ପ୍ରସ୍ତୁତ ଏହି ଉତ୍ପାଦସବୁ ଉଚ୍ଚକୋଟୀର ଦକ୍ଷତା ଓ କଳ୍ପନାର ପ୍ରୟୋଗ ନିର୍ଭର କରେ ।

କଳାରେ ପାରଦର୍ଶିତା ଲାଭ କରିଥିବା କାରୀଗରମାନେ ବିଭିନ୍ନ ପଦାର୍ଥରୁ ଉଚ୍ଚକୋଟୀର ତାରଲ୍ୟ (ତରଳାଇବା ପଦ୍ଧତି) ଉପଯୋଗ କରି ସ୍ଵତନ୍ତ୍ର ଧରଣର ସୂକ୍ଷ୍ମ ଗଠନ ଶୈଳୀରେ ସମସ୍ତ ପ୍ରକାର ଆକର୍ଷଣୀୟ ଉତ୍ପାଦ ପ୍ରସ୍ତୁତ କରିପାରନ୍ତି। କଟକର କାରୀଗରମାନେ ଦକ୍ଷତାର ସହ ଶିଙ୍ଗରୁ ପଞ୍ଜୁରୀ ଭିତରେ ପକ୍ଷୀ,ଶିକାର ଅନ୍ଵେଷଣରେ ଥିବା ପଶୁ,ବଳଦ ଲଢେଇ,ମାଛ ଲୋଭୀ ବଗ ,ହରିଣ- ଛୁଆମାନଙ୍କ ଦେହରେ ନାକ ଘଷୁଥିବା ,ହାତୀ କାଠ ଗଣ୍ଡି ଗଡାଉଥିବା, ପାନିଆ ,ପେନ ଷ୍ଟାଣ୍ଡ, ପାଇପ, ବତୀ ଷ୍ଟାଣ୍ଡ ଇତ୍ୟାଦି ସମେତ କେତେକ ଛୋଟ ଛୋଟ ଜିନିଷ ପ୍ରସ୍ତୁତ କରିଥାନ୍ତି ।

ଜିଲ୍ଲାର ତାରକସୀ କାମ ଅନନ୍ୟ କାରିଗରୀ । ଏହାର ନିଜସ୍ୱ ଓ ଅସାଧାରଣ ରୂପାଙ୍କନ ଓ ହସ୍ତଶିଳ୍ପ ରହିଛି । କଟକ ଜିଲ୍ଲାରେ ଉନ୍ନତ ରୁଚି ସଂପନ୍ନ ରୌପ୍ୟ ତାରକସୀ କାରୁକାର୍ଯ୍ୟ ଶିଳ୍ପକଳାର ସୁଦୀର୍ଘ ପରମ୍ପରା ରହିଛି । ସ୍ଥାନୀୟ ଭାଷାରେ କୁହାଯାଉଥିବା ”ତାରକସୀ” କାମରେ ନିର୍ଭୁଲ ଓ ସୂକ୍ଷ୍ମ କାରିଗରୀର ବ୍ୟବହାରିକ କୌଶଳ ଦେଖିବାକୁ ମିଳେ । ଏହି କଳା ଅତି ପ୍ରାଚୀନ,ଯାହାର କି ସୃଷ୍ଟି ପାରସ୍ୟ ଦେଶମାନଙ୍କରେ ପଂଚଦଶ ଶତାଦ୍ଦୀରେ ହୋଇଥିବା ଜଣାଯାଏ । ଏହି କଳାକୁ ମୋଗଲ ଶାସନ ସମୟରେ ଯଥେଷ୍ଟ ପ୍ରୋତ୍ସାହନ ମିଲଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆଗ୍ରହ ଏବଂ ବଜାର ସୁବିଧାର ଅଭାବ ଯୋଗୁଁ ଏହି ଶିଳ୍ପ ପ୍ରଭାବିତ ହୋଇଥିଲା । ଏହି ଶିଳ୍ପକୁ ଆଦରି ନେଇଥିବା ଅଧିକାଂଶ କାରିଗର ସେମାନଙ୍କର ଜୀବିକା ପାଇଁ ଅନ୍ୟବୃତ୍ତି ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି। ଏହି କାରୀଗରମାନଙ୍କର ସ୍ଥିତିକୁ ପରିବର୍ତ୍ତନ କରିବାକୁ ଦୃଢ ପଦକ୍ଷେପ ସ୍ୱରୂପ ୧୯୫୨ ମସିହାରୁ ରାଜ୍ୟ ସରକାର ସେମାନଙ୍କୁ ସମବାୟ ବ୍ୟବସ୍ଥାରେ ଯୋଡିବାକୁ ଦୃଢ ପଦକ୍ଷେପ ନେଇଛନ୍ତି ।

ତାରକସୀ ଶିଳ୍ପକଳା ୩ ପ୍ରକାରର-ଯେପରିକି, ଗୋଲାପ ବା ରୋଜ ୱାର୍କ, ସିକୋ ୱାର୍କ ଏବଂ ଜରି ପକା କାମ ତାରକସୀ ଜିନିଷ ପ୍ରସ୍ତୁତିରେ ବ୍ୟବହାର କରାଯାଏ । କଟକର ରୂପା ତାରକସୀ କାରୁକାର୍ଯ୍ୟରେ ଉତ୍କୃଷ୍ଟ କାର୍ଯ୍ୟ ସମାପ୍ତି ପଦ୍ଧତି, ସୂକ୍ଷ୍ମ ରୌପ୍ୟ ପାତ ବ୍ୟବହୃତ ଗଠନ ଶୈଳୀ ଏବଂ ବରଫ ପରି ଚିକ ଚିକ କରୁଥିବା ଏହି ପ୍ରସ୍ତୁତି ଅନ୍ୟ ଅଳଙ୍କାରମାନଙ୍କ ଠାରୁ ସ୍ଵତନ୍ତ୍ର । ଏଥିପାଇଁ ରାଜ୍ୟକୁ ପରିଦର୍ଶନ ପାଇଁ ଆସୁଥିବା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରୌପ୍ୟ ତାରକସୀ କାରୁକାର୍ଯ୍ୟର ପ୍ରସ୍ତୁତ ବସ୍ତୁ ଉପହାର ଭାବରେ ପ୍ରଦାନ କରାଯାଇଥାଏ । ଭଗବାନ କୃଷ୍ଣଙ୍କର ରଥ,କୋଣାର୍କ ଚକ୍ର, ଆକର୍ଷଣୀୟ ରୌପ୍ୟ ଅଳଙ୍କାରମାନ ଆଧୁନିକ ଫେଶନକୁ ଭଲ ପାଉଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଆଗ୍ରହପ୍ରଦ ବିଷୟ ହୋଇଥାଏ ।