ପସନ୍ଦ ସ୍ଥାନ
କଟକ ସହରରେ
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ଭାରତୀୟମାନଙ୍କୁ ଗର୍ବିତ କରିବା ସଙ୍ଗେ ସଙ୍ଗେ ଦେଶପ୍ରେମର ଆବେଗରେ ଉତଫୁଲ୍ଲିତ କରିଥାଏ । ପ୍ରତ୍ୟେକ ଜାଣନ୍ତି ଯେ, ସେ ଜଣେ ମହାନ ନେତା ଥିଲେ, ଯିଏ କି ଭାରତର ଇତିହାସର ଗତିପଥକୁ ବଦଳାଇ ଦେଇଥିଲେ । ଭାରତର ସ୍ଵାଧୀନତା ସଂଗ୍ରାମରେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ତାଙ୍କର ସଂଗ୍ରାମର ଅବଦାନ ଅସାଧାରଣ ଥିଲା । ଦେଶର ସ୍ଵାଧୀନତା ପାଇଁ ସେ ସବୁକିଛି ତ୍ୟାଗ କରିଥିଲେ ଏବଂ ଆଜି ମଧ୍ୟ ଭାରତୀୟମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ।
ଜାନକୀନାଥ ଭବନ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପୈତୃକ ଘର, ଓଡିଶାର କଟକ ସହର ସ୍ଥିତ ଓଡିଆ ବଜାରଠାରେ ରହିଛି । ସୁଭାଷ ବୋଷ ଏହି ଘରେ ୨୩.୧.୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ବାଲ୍ୟ ଜୀବନ ସେ କଟକରେ ହିଁ ଅତିବାହିତ କରିଥିଲେ । ତାଙ୍କର ୮ ଜଣ ଭାଇ ଓ ୬ ଜଣ ଭଉଣୀଙ୍କୁ ନେଇ ବଡ ପରିବାର ବିଶିଷ୍ଟ ଏହି ଘରେ ହିଁ ସେ ରହୁଥିଲେ । ତାଙ୍କର ପିତା ଜାନକୀନାଥ ପେଶାରେ ଜଣେ ଓକିଲ ଥିଲେ ଏବଂ ସେ ସମୟରେ ତାଙ୍କର ବହୁ ସୁନାମ ରହିଥିଲା । ୧୯୧୩ ମସିହାରେ ସୁଭାଷ ବୋଷ ରେଭେନ୍ସା କଲିଜିଏଟ ସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଏହାପରେ ସେ ଉଚ୍ଚତର ଶିକ୍ଷା ପାଇଁ କଲିକତା ଯାଇଥିଲେ ।
ଆଗ୍ରହଜନକ ସଂଗ୍ରହ ଯାହାକି ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି, ତନ୍ମଧ୍ୟରେ ରହିଛି ନେତାଜୀଙ୍କ ସ୍ଵହସ୍ତ ଲିଖିତ ୨୨ଟି ମୂଳ ଚିଠି, ଯେଉଁସବୁକୁ ସେ ଜେନେଭା, ଇଟାଲୀର ମିଲନ, ମଣ୍ଡଳାୟ କାରାଗାର, ମିଆଁମାର ରେଙ୍ଗୁନ ଜେଲ, ପ୍ରେସିଡେନ୍ସି ଜେଲ, ଆଲିପୁର, ନ୍ୟୁ ସେଣ୍ଟ୍ରାଲ ଜେଲ, କଲିକତା ଏବଂ ବର୍ଲିନରେ ଥିବା ତାଙ୍କର ପିତାମାତା ଓ ପରିବାରର ସଦସ୍ୟମାନଙ୍କ ପାଖକୁ ଲେଖିଥିଲେ ।
ମଧୁସ୍ମୃତି
ମଧୁସ୍ମୃତି, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ବା କର୍ମଭୂମି ଭାବେ ପରିଚିତ । ଏହା କଟକରେ ରହିଛି । ମଧୁସୂଦନ ଦାସ ୧୮୯୨ ରୁ ୧୯୩୪ ମସିହା , ତାଙ୍କର ଦେହାନ୍ତ ପର୍ଯ୍ୟନ୍ତ ଏହିଠାରେ ରହୁଥିଲେ । ଅଧୁନା ଏହି କୋଠାଘର ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ।ଳୟ ଭାବେ ବ୍ୟବହୃତ ହେଉଛି । ମଧୁସୂଦନ ଦାସ ୧୮୪୮ ମସିହାରେ କଟକ ଜିଲ୍ଲା ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପ୍ରାଥମିକ ଶିକ୍ଷା ଗାଁ ଚାଟଶାଳୀରୁ ଆରମ୍ଭ କରି ପରେ କଟକ ଜିଲ୍ଲାସ୍କୁଲ ଓ ତତ୍ପରେ କଲିକତା ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ୧୮୭୦ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓଡିଶାର ପ୍ରଥମ ସ୍ନାତକ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଇଂରାଜୀରେ ଏମ.ଏ. (ସ୍ନାତକୋତ୍ତର) ଏବଂ ଆଇନରେ ସ୍ନାତକ ପାସ କରି ପାଟଣା ଉଚ୍ଚ ନ୍ୟାୟାଳୟରେ ଜଣେ ଖାତନାମା ଆଇନଜ୍ଞ ଭାବେ ସୁନାମ ଅର୍ଜ୍ଜନ କରିଥିଲେ ।
ସ୍ଵର୍ଗତ ମଧୁସୂଦନ ଦାସଙ୍କ ବିଷୟରେ ଏହା କୁହାଯାଇପାରେ ଯେ ସେ ଜଣେ ମନୁଷ୍ୟ ଭାବରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ମୃତ୍ୟୁବେଳକୁ ସେ ଜଣେ ଅନୁଷ୍ଟାନ ଭାବେ ପରିଚିତ ହୋଇପାରିଥିଲେ ।
ନୌବାଣିଜ୍ୟ ସଂଗ୍ରହାଳୟ
୧୦ ଟି ଗ୍ୟାଲେରୀ ଲକ୍ଷଣଯୁକ୍ତ ବିଭିନ୍ନ ସ୍ମୃତିକୁ ସ୍ଥାନିତ କରି ରହିଥିବା ଏହି ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ପୁରାତନ ଓ ନୂତନର ଅବିଶ୍ଵସନୀୟ ସମିଶ୍ରଣ । ଏହି ଆଧୁନିକ ସଂଗ୍ରହାଳୟର ଗ୍ୟାଲେରୀ ଗୁଡ଼ିକରେ ରହିଥିବା ସୁନ୍ଦର ତଥା ଅତି ପ୍ରାଚୀନ କୀର୍ତ୍ତିରାଜି ଯଥା ଓଡିଶା ନୌବାଣିଜ୍ୟର ଇତିହାସ,ନୌକା ଏବଂ ଜାହାଜ ତିଆରି କାରଖାନା,ଓଡିଶା ଉପକୂଳର ବିଭିନ୍ନ ସ୍ମୃତିଚିହ୍ନ,ଯୋବ୍ରା ୱାର୍କସପ, ଓଡିଶାର କର୍ମକର୍ମାଣି, ନୌଯାତ୍ରାର ସ୍ମାରକୀ ରହିଥିବା ସ୍ପଷ୍ଟ ଜଣାପଡ଼େ । ତତ ସହିତ ଏଠାରେ ମଧ୍ୟ ଏକ ସ୍ଵତନ୍ତ୍ର ଧରଣର ପ୍ରଦର୍ଶନୀ ଯଥା ପ୍ରାଚୀନ କରତକଳ, ନୌକା କ୍ରୟ ବିକ୍ରୟ କେନ୍ଦ୍ର, ନୌକା ମରାମତି, ପୋତ, ପିଲାମାନଙ୍କ ବ୍ୟବହାର ପାଇଁ ସଜ୍ଜିତ ପ୍ରକୋଷ୍ଠ ସମେତ ଗ୍ରନ୍ଥାଗର ଏବଂ ଗବେଷଣାକେନ୍ଦ୍ର ମଧ୍ୟ ରହିଛି ।
ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ପୈତୃକ ଗୃହ କଟକ ତୁଳସୀପୁର ସ୍ଥିତ ଆନନ୍ଦ ଭବନ ଏକ ସଂଗ୍ରହାଳୟ ଓ ଅଧ୍ୟୟନକେନ୍ଦ୍ର ଭାବେ ରାଜ୍ୟବାସୀଙ୍କୁ ଲୋକାର୍ପିତ କରାଯାଇଛି । ବିଜୁବାବୁଙ୍କ ସହିତ ସମ୍ପୃକ୍ତ କେତେକ ପୁରାତନ ଆସବାବ ପତ୍ର ସମେତ ବହୁ ସଂଖ୍ୟକ ଫଟୋଚିତ୍ର ଏହି ସଂଗ୍ରହାଳୟର ଅଂଶ ବିଶେଷ ହୋଇଛି।
ସ୍ଵରାଜ ଆଶ୍ରମ
କାଠଯୋଡି ନଦୀ ଶଯ୍ୟା ସମ୍ମୁଖରେ କଟକ ସହରରେ ସ୍ଵରାଜ ଆଶ୍ରମ ଅବସ୍ଥିତ । ଓଡିଶାରେ ସ୍ଵାଧୀନତା ଆନ୍ଦୋଳନ, ଜାତୀୟ କଂଗ୍ରେସ ଏବଂ ଓଡିଶାରୁ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥିବା ଜଣାଶୁଣା ନେତୃବର୍ଗଙ୍କ ସହିତ ଏହି ପୁରାତନ କୋଠାଘର-ସ୍ଵରାଜ ଆଶ୍ରମ ବହୁ ଭାବେ ଜଡ଼ିତ । ସ୍ଵରାଜ ଆଶ୍ରମର ମୂଳକୋଠା କେନ୍ଦ୍ରସ୍ଥଳରେ ଅବସ୍ଥିତ ଯାହାକି ୨ ମହଲା ବିଶିଷ୍ଟ ଏବଂ ବ୍ରିଟିଶ ଔପନିବେଶିକ ସମୟରେ ନିର୍ମିତ ହୋଇଥିଲା । ଏହି କୋଠାଘର ପଛପଟେ ଅନ୍ୟ ଏକ ୨ ମହଲା ବିଶିଷ୍ଟ କୋଠାଘର ମଧ୍ୟ ରହିଛି । ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଏହା ସଂରକ୍ଷିତ କୀର୍ତ୍ତି ଭାବେ ପରିଗଣିତ ହୋଇଛି ।
ବାରବାଟୀ ଦୁର୍ଗ
ବାରବାଟୀ ଦୁର୍ଗର ଧ୍ଵଂସାବଶେଷ, ଏହାର ଗଡଖାଇ, ଦୁର୍ଗର ଫାଟକ, ଉତଖନନ କରାଯାଇଥିବା ରାଜପ୍ରାସାଦ ପରିସର ଏବଂ ଏଠାରେ ଥିବା ଗଙ୍ଗ ବଂଶୀୟ ସମୟ ମନ୍ଦିରର ପାଦଦେଶ ମହାନନ୍ଦୀ ତଟରେ ଅବସ୍ଥିତ ଏବଂ ଓଡିଶା ଇତିହାସର ଉତଥାନ ପତନର ମୂକସାକ୍ଷୀ ଅଟେ । ଏହି ଐତିହାସିକ ଦୁର୍ଗ ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଓଡିଶାର ପ୍ରସିଦ୍ଧ ରାଜା ଅନଙ୍ଗଭୀମ ଦେବ ୩ୟ , ନରସିଂହ ୧ ,କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ଓ ପ୍ରତାପରୁଦ୍ର ଦେବଙ୍କ ରାଜଧାନୀ ଥିଲା ଏବଂ ସେମାନେ ଏହି ସ୍ଥାନରୁ ସେମାନଙ୍କର ବୃହତ ସାମ୍ରାଜ୍ୟକୁ ଶାସନ କରୁଥିଲେ । ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଏହା ସୁରକ୍ଷିତ କୀର୍ତ୍ତି ଭାବେ ରହିଛି ।
ବାରବାଟୀ ଷ୍ଟାଡିୟମ
ଏକ ଅନନ୍ୟ ସ୍ମୃର୍ତିଚିହ୍ନ ଭାବେ ପରିଚିତ ଓଡିଶାର କଟକ ସହରରେ ଅବସ୍ଥିତ ବାରବାଟୀ ଷ୍ଟାଡିୟମ ଏକ ପ୍ରମୁଖ ଭାରତୀୟ ଖେଳ ପଡିଆ । ଆନ୍ତର୍ଜାତୀୟ କ୍ରିକେଟ ପାଇଁ ଏହା ଏକ ନିୟମିତ ଖେଳ ପଡିଆ ଏବଂ ଓଡିଶା କ୍ରିକେଟ ଆସୋସିଏସନର ଘରୋଇ ଖେଳ ପଡିଆ । ଏହି ଷ୍ଟାଡିୟମ ଓଡିଶା ଅଲିମ୍ପିକ ସଂଘର ସଂପତ୍ତି ଓ ସଂଘ ଦ୍ଵାରା ପରିଚାଳିତ। ୪୫ ହଜାର ଦର୍ଶକମାନଙ୍କର ବସିବା ପାଇଁ ସାମର୍ଥ୍ୟ ଥିବା ଏହି ଷ୍ଟାଡିୟମରେ ଆଧୁନିକ ଭିତ୍ତିଭୂମି ଯଥା ଦର୍ଶକମାନଙ୍କ ଷ୍ଟାଣ୍ଡ ବ୍ୟବସ୍ଥା,ଦିବାରାତ୍ର ମ୍ୟାଚ ପାଇଁ ଉଜ୍ଜ୍ଵଳ ଆଲୋକ (ଫ୍ଳଡ ଲାଇଟ) ବ୍ୟବସ୍ଥା ଧାରା ବିବରଣୀ ପ୍ରଦାନକାରୀଙ୍କ ପାଇଁ କୋଠରୀ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। କ୍ରିକେଟ ମ୍ୟାଚ ବ୍ୟତୀତ ଏହି ଷ୍ଟାଡିୟମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୁଏ । ଏହି ଷ୍ଟାଡିୟମରେ ପ୍ରଥମ ଶ୍ରେଣୀୟ ଫୁଟବଲ ଲିଗ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୁଏ ।
କଟକ ଚଣ୍ଡୀ ମନ୍ଦିର
ଏହି ପ୍ରାଚୀନ ମନ୍ଦିର ଅଧିଷ୍ଟାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ପାଇଁ ଉତ୍ସର୍ଗୀକୃତ । ମହାନଦୀ କୂଳରେ ଅବସ୍ଥିତ ଥିଲେ ହେଁ ଏହା ସହରର ମଧ୍ୟ ଭାଗରେ ଅବସ୍ଥିତ । ବାର୍ଷିକ ଦୁର୍ଗାପୂଜା ଓ କାଳୀପୂଜା ଉତ୍ସବ ପାଇଁ ଏହି ମନ୍ଦିର ପ୍ରସିଦ୍ଧ । କଟକ ଚଣ୍ଡୀ ମନ୍ଦିରରେ ଦୁର୍ଗାପୂଜା ପର୍ବ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇ ୧୬ ଦିନ ଧରି ଆଶ୍ଵିନ ଶୁକ୍ଳ ପକ୍ଷ ନବମୀ ଓ ବିଜୟା ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ ।
ଜୈନ ମନ୍ଦିର
ଚୌଧୁରୀ ବଜାର କଟକଠାରେ ପ୍ରସିଦ୍ଧ ଜୈନ ମନ୍ଦିର ରହିଛି ।
କଦମ-ଇ-ରସୁଲ
କଟକ ସହର ଦୀର୍ଘ ଦିନ ଧରି ସମ୍ମାନର ସହ ମୁସଲମାନମାନଙ୍କ ରାଜନୈତିକ ଶାସନ ଗାଦୀ ଭାବେ ରହି ଆସିଥିଲା । ସେହି ସମୟରୁ କଟକରେ ବହୁ ମୁସଲିମ କୀର୍ତ୍ତିରାଜି ଗଢି ଉଠିଥିଲା । ତନ୍ମଧ୍ୟରୁ ଏକ ସୁନ୍ଦର କୀର୍ତ୍ତି କଦମ-ଇ-ରସୁଲ ସୁଜାଉଢିନ ଖାଁଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହାର ପରିସର ୪ କୋଣରେ ଛୋଟ ଛୋଟ ଅଥଚ ଶକ୍ତିଶାଳୀ ଗମ୍ବୁଜମାନ ନିହାଣ ମୁନରେ ଗଢାଯାଇଛି । ଏହାର କେନ୍ଦ୍ରସ୍ଥଳରେ ଆକର୍ଷଣୀୟ ଗମ୍ବୁଜ ଥାଇ ଅନ୍ୟ ୪ ଗୋଟି ଚେପଟାକୃତି ଗମ୍ବୁଜ ଏବଂ ପକ୍କା ଚଟାଣ ଏହାକୁ ସବୁ ଦିଗରୁ ମଣ୍ଡନ କରୁଛି ଏବଂ କବରଖାନାରୁ ମୁଖ୍ୟ ଅଷ୍ଟକୋଣୀ କୋଠାକୁ ସଂଯୋଗ କରୁଛି । ଏଠାରେ ଧର୍ମ ପ୍ରବର୍ତ୍ତକ ମହମ୍ମଦଙ୍କର ବୃତ୍ତାକାର ପ୍ରସ୍ତର ଖୋଦେଇ ପାଦଚିହ୍ନ ରହିଛି, ଗମ୍ବୁକ ବାହାରେ ସ୍ଵର୍ଣ୍ଣ ନୌକା ସଦୃଶ ମଣ୍ଡନ କରୁଛି ।
ରେଭେନ୍ସା ବିଶ୍ଵ ବିଦ୍ୟାଳୟ
ପୂର୍ବରୁ ରେଭେନ୍ସା ମହାବିଦ୍ୟାଳୟ ନାମରେ ପରିଚିତ ଥିବା ଆଜିର ରେଭେନ୍ସା ବିଶ୍ଵବିଦ୍ୟାଳୟ ଓଡିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ, ଯାହାକି ୧୮୬୮ ମସିହାରେ ତତ୍କାଳୀନ ଓଡିଶାର କମିଶନର ମିଷ୍ଟର ଟି. ଇ.ରେଭେନ୍ସାଙ୍କ ଆନ୍ତରିକ ପ୍ରଚେଷ୍ଟାରେ ସ୍ଥାପିତ ହୋଇ ତାଙ୍କରି ଉଦ୍ୟମରେ ହିଁ ଏହା ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ ହୋଇଥିଲା । ରେଭେନ୍ସା ମହାବିଦ୍ୟାଳୟର କୋଠା ଦେଖିବାକୁ ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଏହାର ସ୍ଥାପତ୍ୟରେ ଔପନିବେଶିକ ପ୍ରଭାବ ପରିଲକ୍ଷିତ ହୋଇଛି ।