ଜିଲ୍ଲା ସମ୍ବନ୍ଧରେ
କଟକ ଜିଲ୍ଲା ଓଡିଶାର ପୁରାତନ ଜିଲ୍ଲାମାନଙ୍କ ମଧ୍ୟରେ ଅନ୍ୟତମ । ଏହା ଏକ ଗୁରୁତ୍ଵପୂର୍ଣ୍ଣ ସହର ଏବଂ କଟକ ସହର ଜିଲ୍ଲାର ସଦର ମହକୁମା ହୋଇଥିବା ହେତୁ ଏହାର ନାମକୁ ଆଧାର କରି ଜିଲ୍ଲାର ନାମ କଟକ ହୋଇଛି । କଟକ ସହରକୁ ଓଡିଶାର ବ୍ୟବସାୟିକ ରାଜଧାନୀ ରୂପେ ବିବେଚନା କରାଯାଏ । ‘କଟକ’ ଶବ୍ଦ ସଂସ୍କୃତ ଶବ୍ଦ ‘କଟକ’ରୁ ଉଦ୍ଭବ ହୋଇଅଛି ଯାହାର କି ୨ ଟି ଅର୍ଥ ରହିଛି । ଏହାର ଗୋଟିଏ ଅର୍ଥ ହେଲା ‘ସେନା ଶିବିର’ ଓ ଅନ୍ୟଟି ସରକାରଙ୍କ ଆସ୍ଥାନ ଯାହାକି, ସୈନ୍ୟମାନଙ୍କ ଦ୍ୱାରା ସୁରକ୍ଷିତ । ବାସ୍ତବ ପକ୍ଷେ କହିବାକୁ ଗଲେ ଏହା ‘ଦୁର୍ଗ’ ବା ପ୍ରାଚୀନ ‘ବାରବାଟୀ ଦୁର୍ଗ’ କୁ ସୂଚୀତ କରିଥାଏ, ଯାହାକୁ ପର୍ଯ୍ୟବେସିତ କରି କଟକ ସହର ଗଢିଉଠିଛି । ଓଡିଶାର ନୂତନ ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରଣ ହେବା ପୂର୍ବରୁ କଟକ ଏହାର ରାଜଧାନୀ ଥିଲା , ଯେଉଁଥି ପାଇଁ ଏହି ସହର ଗୁରୁତ୍ୱ ବହନ କରେ ।
ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ଜିଲ୍ଲା ମାନଚିତ୍ରର ଉତ୍ତର ୨୦.୦୩ ଡିଗ୍ରୀ ରୁ ୨୦.୪୦ ଡିଗ୍ରୀ ଅକ୍ଷାଂଶ ଏବଂ ପୂର୍ବ ୮୪.୫୮ ଡିଗ୍ରୀ ରୁ ୮୬.୨୦ ଡିଗ୍ରୀ ଦ୍ରାଘିମା ମଧ୍ୟରେ ଅବସ୍ଥିତ | କଟକ ସହରକୁ ଉତ୍ତରରେ ମହାନଦୀ ଏବଂ ଦକ୍ଷିଣରେ କଠୋଯୋଡି ନଦୀ ଘେରି ରହିଛି | ୩୯୩୨କିଲୋମିଟର ପରିମିତ ଏହି ଜିଲ୍ଲା ଜନସଂଖ୍ୟା ବହୁଳ | ଏହି ଜିଲ୍ଲାରେ ଗ୍ରୀଷ୍ମ ଦିନେ ଗରମ ଏବଂ ଶୀତ ଦିନେ ଶୀତ ସ୍ୱରୂପ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ଅନୁଭୂତ ହୋଇଥାଏ | ଗ୍ରୀଷ୍ମଦିନେ ଏହି ଜିଲ୍ଲାର ସର୍ବୋଚ୍ଛ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଶୀତଦିନେ ସବନିମ୍ନ ତାପମାତ୍ରା ବେଳେ ବେଳେ ୧୦ ଡିଗ୍ରୀରୁ କମ ହୋଇଥାଏ । ଗ୍ରୀଷ୍ମ ଦିନେ ସାଧାରଣତ ମାର୍ଚ୍ଚ ମାସରୁ ଜୁନ ମାସ ପର୍ଯନ୍ତ ଏବଂ ଶୀତ ଦିନ ଅକ୍ଟୋବର ମାସରୁ ଫେବ୍ରୁୟାରୀ ମାସ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ । ମୌସୁମୀ ପ୍ରବାହ ସମୟରେ ସାଧାରଣତ ଅଧିକ ବର୍ଷା ହୋଇଥାଏ, ଯାହାକି ଜୁଲାଇ ଏବଂ ଅଗଷ୍ଟ ମାସରେ ବେଶୀ ସଂଗଠିତ ହୋଇଥାଏ । ବର୍ଷରେ ହାରାହାରି ୧୮୯୨.୫୫ ମି.ମି. ବର୍ଷା ହୋଇଥାଏ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେବା ଜିଲ୍ଳାରେ ବର୍ଷା ହେବାର ପ୍ରମୁଖ କାରଣ ।
ଜିଲ୍ଳାରେ ଶିଳ୍ପାୟନ କମ ହୋଇଥିବା ହେତୁ ଏହି ଜିଲ୍ଲାବାସୀ କୃଷିକୁ ସେମାନଙ୍କର ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଥାନ୍ତି ଏବଂ ପ୍ରାୟ ୭୬ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭର କରୁଛନ୍ତି । ଜିଲ୍ଲା ଦେଇ ଅନେକ ନଦୀ ଓ କେନାଲ ପ୍ରବାହିତ ହେବା ଯୋଗୁ ଜିଲ୍ଲାରେ କୃଷିକାର୍ଯ୍ୟ ଅବିରତ ଭାବରେ କରାଯାଇପାରୁଛି । ଧାନ, ଡାଲି, ତୈଳବୀଜ , ଝୋଟ, ଆଖୁ, ନଡିଆ ଏବଂ ହଳଦୀ ଆଦି ବହୁଳ ଭାବରେ ଏହି ଜିଲ୍ଳାରେ ଚାଷ କରାଯାଏ । ଏହି ଜିଲ୍ଳା ପ୍ରମୁଖ ଅର୍ଥକାରୀ ଫସଲର ରପ୍ତାନୀରେ ସହାୟକ ହେବା ସହିତ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ପ୍ରଭୁତ ସହାୟକ ହୋଇପାରିଛି । ଇତି ମଧ୍ୟରେ ଜିଲ୍ଲାରେ କୃଷିର ବିକାଶ ପାଇ ସରକାରଙ୍କ ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ନିଆଯାଇ ସେସବୁର ସଫଳ ରୂପାୟନ କରାଯାଇଛି ।କୃଷି ଓ କୃଷି ଭିତ୍ତିକ କ୍ଷେତ୍ରକୁ ଉଦାହରଣ ଭାବେ ନିଆଯାଇ କୃଷକ ଓ କୃଷି ଉପରେ ନିର୍ଭର କରୁଥିବା ଜନସାଧାରଣଙ୍କୁ ଗୋଟିଏ ଛାତତଳେ କୃଷକ ସଂଗଠନ ଏବଂ ଏହାଦ୍ୱାରା ଉପକୃତ ହୋଇଥିବା କୃଷକମାନଙ୍କ ପାଇଁ ଯୋଜନା ପ୍ରଣୟନ ସେମାନଙ୍କୁ ସଶକ୍ତିକରଣ ପାଇ ଉପଲବ୍ଧ ଆର୍ଥିକ ସମ୍ବଳ ପ୍ରଦାନ କରାଯାଉଛି । ଅନ୍ୟ ଶିଳ୍ପ ମଧ୍ୟରେ ଏହି ଜିଲ୍ଲା ହସ୍ତତନ୍ତ ଏବ କୁଟୀର ଶିଳ୍ପ ପରମ୍ପରାରେ ଉନ୍ନତ । ଏହି ଜିଲ୍ଲା ରୂପା ତାରକସୀ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ। ସିଙ୍ଗ କାମ, ପଟ୍ଟ ଚିତ୍ର, ଡୋକ୍ରା କାଷ୍ଟିଂ ,ଟେରାକୋଟା, କାଠ ଖୋଦେଇ କାମ, ଚମଡା ପ୍ରସ୍ତୁତ ଶିଳ୍ପ କଳା, ପିତଳ/କଂସା ଧାତବ ପ୍ରସ୍ତୁତ କାର୍ଯ୍ୟ ମଧ୍ୟ ଏହି ଜିଲ୍ଲାରେ ବହୁ ମାତ୍ରାରେ ଦେଖିବାକୁ ମିଳେ । ଏହି ହସ୍ତଶିଳ୍ପ ପ୍ରସ୍ତୁତ ଉତ୍ପାଦକୁ ଜିଲ୍ଲା ରପ୍ତାନୀ କରି ରାଜସ୍ଵ ବୃଦ୍ଧି କରିବାରେ ସହାୟକ ହୋଇପାରିଛି। ଜିଲ୍ଲାରେ ଏଥି ନିମନ୍ତେ ବହୁ ହସ୍ତଶିଳ୍ପ ସମବାୟ ସମିତି ଏବଂ ହସ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକରୁଛି ଯାହାକି, ଏହି ସବୁ ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେବାରେ ସହାୟକ ହୋଇଛି । ଏତଦ ବ୍ୟତୀତ ଜିଲ୍ଲାରେ କେତେକ ସଂଖ୍ୟକ ବୃହତ ଏବଂ ମଧ୍ୟମ ଶିଳ୍ପ ମଧ୍ୟ କାର୍ଯ୍ୟକରୁଛି । ତନ୍ମଧ୍ୟରୁ କେତେକ ହେଲେ ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ (ଇମ୍ଫା), ପାରାଦୀପ ଅକ୍ସିଜେନ ଏବଂ ଓଡିଶା ମ୍ୟାଗ୍ନେଟିକ୍ସ ଇତ୍ୟାଦି | ତତ ସହିତ ଜିଲ୍ଲାରେ କେତେକ କ୍ଷୁଦ୍ର ଏବଂ ଅଣୁ ଶିଳ୍ପ କାରଖାନା କାର୍ଯ୍ୟକରୁଛି, ଯେଉଁଗୁଡିକ କି ରାସାୟନିକ, ବୟନ ଶିଳ୍ପ ଚମଡା ଶିଳ୍ପ କିମ୍ବା ସେହିଭଳି ରହିଛି । ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଜିଲ୍ଲାରେ ଥିବା ଶିଳ୍ପାଞ୍ଚଳ, ଜିଲ୍ଲାରେ ଶିଳ୍ପର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତନ୍ମଧ୍ୟରେ ଓଡିଆ ସିମେଣ୍ଟ ଲିମିଟେଡ଼, ଟାଟା ପାୱାର, ଭିସା ପାୱାର, ନୀଳାଚଳ ପାୱାର, ଆରତୀ ଷ୍ଟିଲ ଇତ୍ୟାଦି ପ୍ରମୁଖ ଅଟନ୍ତି । ସେକୋଣ୍ଡାରୀ ବୋର୍ଡ ହାଇସ୍କୁଲ, ରେଭେନ୍ସା ବିଶ୍ଵ ବିଦ୍ୟାଳୟ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ, ମଧୁସୂଦନ ଆଇନ ମହାବିଦ୍ୟାଳୟ ଆଦି ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ । ଜିଲ୍ଲାରେ ବହୁ ବୈଷୟିକ ବିଜ୍ଞାନ ସଂସ୍ଥା ରହିଛି ଯଥା ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ (ବୋସ), ଇପସାର ଇନଷ୍ଟିଚ୍ୟୁଟ ଅଫ ଟେକ୍ସଟାଇଲ ଟେକ୍ନୋଲୋଜି, ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟ (ଏନ.ଏଲ.ୟୁ), ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ , ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ. ଆର. ଆର. ଆଇ ), ସ୍ଵାମୀ ବିବେକାନନ୍ଦ ରାଷ୍ଟୀୟ ପୁନର୍ବାସ, ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥା(ନିରତାର), ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର (ଆର.ଏସ. ଆଇ.ସି) ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର (ଏ.ଏଚ.ଆର.ସି.ଆର. ସି.) ଆଦି କଟକ ଜିଲ୍ଲାର ପ୍ରମୁଖ ସଂସ୍ଥା ଭାବେ ପରିଚିତ ଲାଭ କରିଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୂସୂଦନ ଦାସ, କର୍ମବୀର ଗୌରୀ ଶଙ୍କର ରାୟ, ଡଃ. ରାଧାନାଥ ରଥ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ପ୍ୟାରୀମୋହନ ଆଚାର୍ଯ୍ୟ ପ୍ରମୁଖ ବ୍ୟକ୍ତିତ୍ଵ ଭାବେ ଜିଲ୍ଲାର ଟେକ ରଖିଛନ୍ତି ।
୨୦୧୧ ଜନ ଗଣନା ଅନୁଯାୟୀ ଜିଲ୍ଲାର ମୋଟ ଜନ ସଂଖ୍ୟା ୨୬ ଲକ୍ଷ, ୨୪ ହଜାର ୪୭୦ ହୋଇଥିବା ସ୍ଥଳେ ତନ୍ମଧ୍ୟରେ ୧୩ ଲକ୍ଷ ୫୨ ହଜାର ୭୬୦ ଜଣ ପୁରୁଷ, ୧୨ ଲକ୍ଷ ୭୧ ହଜାର ୭୧୦ ଜଣ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ଜିଲ୍ଲାର ଜନସଂଖ୍ୟା ଘନତ୍ଵ ପ୍ରତି ବର୍ଗ କିଲୋମିଟରରେ ୬୬୭ ହୋଇଥିବା ସ୍ଥଳେ ଜିଲ୍ଲାରେ ମୋଟ ସାକ୍ଷରତା ହାର ୮୫.୫ ପ୍ରତିଶତ । ଜିଲ୍ଲାରେ ପୁରୁଷ ଏବଂ ମହିଳା ହାର ପ୍ରତି ହଜାରରେ ୯୪୦ ରହିଛି ।